ଅନ୍ଧାର ଗୃହର "ଆଶା"
- Sanjukta Dash
- Apr 28, 2024
- 3 min read

ଗରିବ ପରିବାରର ଝିଅଟିଏ, କିନ୍ତୁ ଭାରି ସ୍ଵାଭିମାନୀ। ଛଅଗୋଟି ଭାଇଭଉଣୀ ମଧ୍ୟରୁ ସିଏ ଥିଲା ବଡ଼। ତେଣୁ ତାର ସ୍ବପ୍ନ ବି ଥିଲା ସେହିପରି ବଡ଼ ଓ ମା ବାପା ପ୍ରଥମେ ପୁଅଟିଏ ଆଶା କରିଥିଲେ ହେଁ ଝିଅଟିକୁ ପାଇ ତାର ନା ଅତ୍ୟନ୍ତ ସ୍ନେହର ସହ ରଖିଥିଲେ ଆଶା।
ଗରିବ ପରିବାର ହେଲେ ମଧ୍ୟ ପିଲାମାନଙ୍କର କେବେ ବି ଅନାଦର କରିନଥିଲେ ଉଭୟ ପିତା ମାତା। ସମୟ କ୍ରମେ ଆଶା ର ଆଶା ମଧ୍ୟ ତା ବୟସ ସହ ବଢ଼ିଚାଲିଥିବାବେଳେ ସେତେବେଳେ କନ୍ୟା ସନ୍ତାନର ଶିକ୍ଷା ପ୍ରତି ଏତେ ଧ୍ୟାନ ନ ଥିବାରୁ ଆଶା ର ବସ୍ତାନିରେ ବି ତାଲା ଲାଗିଯାଇଥିଲା ମାତ୍ର ପଞ୍ଚମ ଶ୍ରେଣୀରେ।
ତା ପରେ ଆଉ କଣ ଥିଲା; ଚଉଦ ବର୍ଷର କୋମଳ ବୟସରେ ବାପା ମା ଛନ୍ଦି ଦେଇଥିଲେ ତାକୁ ବୈବ୍ୟହିକ ଜୀବନର ପ୍ରତିଶ୍ରୁତିରେ। ସେ ବୟସରେ ତାକୁ ଜଣା ବି ନଥିଲା ସଂସାର କଣ, ହେଲେ ମଧ୍ୟ ସିଏ ତାର ସ୍ବାମୀ, ଶାଶୁ, ନଣନ୍ଦ, ଦେଢ଼ସୁର ସମସ୍ତଙ୍କୁ ଆପଣେଇ ନେଇ ଏକ ନୂତନ ଜୀବନ ଯାପନ କରିବା ସହ ତାର ସାଂସାରିକ ଜୀବନରେ ସଫଳ ମଧ୍ୟ ହୋଇଥିଲା।
ସମୟ ଧିରେ ଧିରେ ଆଗକୁ ବଢିଚାଲିଲା, ତା ସଙ୍ଗେ ସଙ୍ଗେ ପରିବାରର ଭରଣ ପୋଷଣ ନିମନ୍ତେ ସ୍ବାମୀ ସ୍ତ୍ରୀ ଦୁହେଁ ବାହାରେ ନିଜର ଚାକିରି ସ୍ଥାନରେ ଆବାସ କରୁଥାନ୍ତି। ଆଶା ଏବେ ତିନୋଟି ସନ୍ତାନର ଜନନୀ ହୋଇସାରିଥାଏ। ହଠାତ୍ ଏସବୁ ଭିତରେ ମାଡିଆସିଲା ତା ଜୀବନକୁ ଏକ ଅନ୍ଧକାରର ଛାୟା। ସେହି ଚିଠିରେ ଲେଖା ଥିଲା, “ଜାଣିବା ହେବେ ଆଜ୍ଞା, ଆପଣଙ୍କ ବଡ଼ ଭାଇ ସମସ୍ତ ପୈତୃକ ସଂପତ୍ତିକୁ ବିକି ନିଜ ଭାଗକୁ ନେଇ ଆସିଲେଣି। ଆପଣଙ୍କ ଭାଗରେ ଆଉ କିଛି ପାଇବାକୁ ନାହିଁ।”
ଏଇ ଖବର ଜାଣି ତା ପାଦ ତଳୁ ଯେମିତି ମାଟି ଖସିଯାଇଥିଲା। ଏବେ ମୋ ପିଲାଙ୍କ ଭବିଷ୍ୟତ କଣ? ସ୍ବାମୀଙ୍କ ଦରମା କମ, ଏତେ କମ ଦରମାରେ ଅଲଗା ସହରରେ, ବିନା ପାରିବାରିକ ସାହାଯ୍ୟରେ କେମିତି କଟିବ ଆମ ଜୀବନ? ତଥାପି ସେ ହାର ମାନିନଥିଲା। ଇଶ୍ୱରଙ୍କ ଉପରେ ଭରସା କରି ନିଷ୍ଠାର ସହ ପ୍ରଣ କରେ ଯେ ଯେଉଁ କଷ୍ଟ ଆମେ ଭୋଗୁଚୁ ମୋ ପିଲାଙ୍କୁ ସେହି କଷ୍ଟ ଭୋଗିବାକୁ ଦେବିନି, ସମସ୍ତ ପ୍ରକାରର ପରିଶ୍ରମ କରି ତାଙ୍କୁ ମଣିଷ କରିବି।
ତାର ସମ୍ପୂର୍ଣ୍ଣ ଜୀବନକାଳରେ ଅନେକ ବାଧା ବିଘ୍ଣର ସମ୍ମୁଖୀନ ହୋଇଛି ଆଶା ହେଲେ କେବେ କାହା ପାଖରେ ହାର ମନିନି। ସ୍ବାମୀଙ୍କ ଦରମା କମ ହେଲେ ବି କାହା ସାମ୍ନାରେ ହାତ ପତେଇନି, କାଳେ କିଏ ପଦେ ତାକୁ କହିଦେବ। କେବଳ ସେ ବିଶ୍ୱାସ କରିଛି ଭଗବାନଙ୍କୁ ଏବଂ ତାର ଅକ୍ଲାନ୍ତ ପରିଶ୍ରମକୁ। ଅଳ୍ପ ପାଠୁଆ ହୋଇଥିଲେ ମଧ୍ୟ ତାର ବୁଦ୍ଧି ଅତ୍ୟନ୍ତ ବିଚକ୍ଷଣ, ଆମ କଥାରେ ଅଛି ନା ପାଞ୍ଚ ପଇସାକୁ ପଚାଶ କରିବା; ଠିକ୍ ସେହିଭଳି ସେ ତାର ଧିରେ ଧିରେ ଆଗକୁ ବଢିଚାଲିଲା ଓ ଗଢି ତୋଳିଲା ତାର ଏକ ସ୍ୱପ୍ନର ଛୋଟ ଘର ଆଉ ସେହି ଛୋଟ ଘର ଭିତରେ ତାର ଛୋଟ ପରିବାର।
ତାର ଦୃଢ଼ ଇଚ୍ଛାଶକ୍ତି ବଳରେ ସେ କରିପାରିଛି ତାର ପିଲାମାନଙ୍କୁ ଉଚ୍ଚ ଶିକ୍ଷିତ ଓ ଭଲ ମଣିଷ।
ସମୟର ଗତି ସହିତ ସେ ଭୂଳିଯାଇଛି ତାର ଅତୀତକୁ କାରଣ ଯେତିକି ହରାଇଥିଲା ତା ଠାରୁ ଯଥେଷ୍ଟ ବୋଧହୁଏ ସିଏ ପାଇସାରିଛି। ବର୍ତ୍ତମାନ ତାର କେବଳ ଆଶା ତାର ପିଲାଙ୍କ ପାଖରେ। ଯେମିତି ସେମାନେ ଭଲ ମଣିଷ ହୋଇ ସମାଜରେ ଠିଆ ହେବେ ଓ ପରିବାର ପ୍ରତି ଯତ୍ନବାନ ହୋଇ ସମସ୍ତେ ମିଳି ମିଶି ରହିବେ। ଉପଯୁକ୍ତ ବୟସରେ ସେ ତାର ସମସ୍ତ ପିଲାମାନଙ୍କୁ ବୈବାହିକ ଜୀବନର ବାନ୍ଧି ମଧ୍ୟ ଦେଇଛି।
କିନ୍ତୁ ହଠାତ୍ ତା ଜୀବନରେ ଆସିଯାଇଛି ଏକ ନୂଆ ଝଡ଼, ଏହା ସମୟର ଖେଳ ନା ଇଶ୍ୱରଙ୍କ ପରୀକ୍ଷା ମୁଁ ତ ବୁଝିପାରେନି। ସେ ତା ପିଲାମାନଙ୍କ ଆଗରେ ହାରିଯାଇଛି। ସମସ୍ତେ ତାକୁ ଭୁଲ୍ ବୁଝୁଛନ୍ତି।
ହଁ ଏହା ସତ୍ୟ ଯେ ଯେତିକି ସେ ବିଭିନ୍ନ କଷ୍ଟଦାୟକ ପରିସ୍ଥିତି ଦେଇ ଗତି କରିଛି ସମୟ ତାକୁ ସେତିକି କଠୋର ବନେଇଦେଇଛି, ହେଲେ କାହାର ଅମଙ୍ଗଳ ପାଞ୍ଚିବା ପାଇଁ ନୁହେଁ ବରଂ ସତ୍ୟ, ଧର୍ମ ଓ ନ୍ୟାୟର ମାର୍ଗରେ ଚାଲିବା ପାଇଁ। ଆଖି ଥାଇ ବି ଅନ୍ଧ ହୋଇ ରହିବା ପାଇଁ ନୁହେଁ, ଠିକ୍ ଭୁଲର ବିଚାର କରିବା ପାଇଁ। ବୋଧହୁଏ ସମୟର ଏହା ହିଁ ନିର୍ଣ୍ଣୟ ତା ପାଇଁ, ଅତିତର ପରିସ୍ଥିତି ଅପେକ୍ଷା ବର୍ତ୍ତମାନର କଷ୍ଟ ତା ପାଇଁ ଦୁଇଗୁଣ ହୋଇଯାଇଛି। ସେ ତା ପିଲାଙ୍କ ଉପରେ ଯେଉଁ ଆଶା ରଖିଥିଲା ତା ବି ଭାଙ୍ଗି ଯାଇଛି। ଡେଣା ଲାଗିଗଲା ପରେ ବସାରୁ ଯେପରି ନୂଆ ଚଢ଼େଇ ମନେ ଉଡ଼ି ଯାଇଥାନ୍ତି ଠିକ୍ ସେହିପରି ତାର ଆଶାକୁ ଭାଙ୍ଗି ତାର ପିଲାମାନେ ଅଲଗା ହୋଇ ସମସ୍ତେ ବହୁତ୍ ଦୂରକୁ ଚାଲିଯାଇଛନ୍ତି।
ପୁନର୍ବାର ସମୟ ସହିତ ତାଳ ଦେଇ ସେ ପହଞ୍ଚିଯାଇଛି ଏକ ପରିଣତ ବୟସରେ। ପୂର୍ବ ପରି ନା ତାର ଶରୀରରେ ଆଉ ସେଇ ଶକ୍ତି ଅଛି ନା ମନରେ ବଳ। ମନେ ମନେ ବସି ସେ ଭାବେ କୋଉଠି ରହିଲା ମୋ ଭୁଲ? ପିଲାମାନଙ୍କୁ ଉଚ୍ଚଶିକ୍ଷିତ କରିବା ନା କଷ୍ଟ ଯନ୍ତ୍ରଣା ସେହି ଅଭିଯାତ୍ୟ ଅର୍ଜନ କରିବା? ତଥାପି ସେ ଦୃଢ଼ ମନୋବଳ ଓ ଈଶ୍ୱର ବିଶ୍ବାସୀ, ତା ଜୀବନର ଅନ୍ଧାର ଗୃହ ଭିତରେ ବସି, ଆଶା ବାନ୍ଧି ଚାହିଁ ବସିଛି ସେଇ ଦୂର ଦିଗବଳୟକୁ, କେବେ ସେହି ସମୟ ଫେରିବ, ସମସ୍ତେ ଏକତ୍ରିତ ହେବେ ତାର ସେହି କୁନି ବାଇଚଢ଼େଇର ବସାରେ!
ବେଳେ ବେଳେ ବସି ମୁଁ ଭାବେ ଆଶା ନାମଟି ତା ପାଇଁ ଆଶୀର୍ବାଦ ନା ଅଭିଶାପ?




Comments